ପୁରୀ/ ୧୬/୯/୨୦୨୫/(ଆଧାରମିଡିଆ)-ଚଳିତ ବର୍ଷର ହବିଷବ୍ରତ ଅକ୍ଟୋବର ମାସ ୭ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏକମାସ ଧରି ଚାଲିବ।କେବଳ ଅନଲାଇନ ମାଧ୍ୟମରେ ପଞିକରଣ କରିଥିବା ହବିଷ୍ୟାଳୀ ମାମାନଙ୍କୁ ଧାର୍ଯ୍ୟ କରାଯାଇଥିବା ୪ଗୋଟି ରହଣି କେନ୍ଦ୍ରରେ ରଖାଯିବ।ଅନଲାଇନ ପଞ୍ଜିକରଣ ବିନା କାହାକୁ ମଧ୍ୟ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ରହଣି ସୁଯୋଗ ମିଳିବନାହିଁ ବୋଲି ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା ସୂଚନା ଦେଇଛନ୍ତି।
ଆଜି ସର୍କିଟହାଉସ ଠାରେ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଷଦ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ପରିଡା ଚଳିତବର୍ଷ ବୃନ୍ଦାବତୀ ନିବାସ ,ବଗଲା ଧର୍ମଶାଳା ,ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଷ୍ଟେସନ ଆଶ୍ରୟ ସ୍ଥଳଠାରେ ହବିଷ୍ୟାଳୀ ମା ମାନଙ୍କର ରହଣିର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ହବିଷ୍ୟାଳୀ ଯୋଜନା ଆଧାରରେ ୭୦ବର୍ଷ ବୟସ୍କା ପର୍ଯ୍ୟନ୍ତ ବିଧବା ମା ଓ ୫୦ ରୁ ୭୦ ବର୍ଷ ବୟସ୍କା ବିବାହିତା ମହିଳା ମାନେ ଏହିବ୍ରତ ପାଇଁ ଆବେଦନ ଅନଲାଇନ https://edistrct.odisha.gov.in ମାଧ୍ୟମରେ ଚଳିତ ମାସ ୧୯ ତାରିଖ ଦିବା ୧୦ ଘଟିକା ଠାରୁ ପଞ୍ଜିକରଣରେ ସାମିଲହୋଇ ପାରିବେ।ସେମାନଙ୍କର ସୁରକ୍ଷିତ ରହଣି,ସୁରକ୍ଷା,ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ,ଗମନାଗମନ, ମହାପ୍ରସାଦ ସେବନ,ପ୍ରବଚନ,ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା, ପରିମଳ, ପାନୀୟଜଳ,ସ୍ୱଛାସେବୀ ସହଯୋଗ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଛି।
ଏହାକୁ ସୁନିୟନ୍ତ୍ରିତ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ତଦାରଖ କରିବାକୁ ନୋଡାଲ ଅଧିକାରୀ,ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନଙ୍କ ସହଯୋଗ ନିଆଯିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।ପଞ୍ଜିକରଣ କରିଥିବା ମା ମାନଙ୍କ ସୁଖଦ ରହଣୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି।
ଅଣ ପଞ୍ଜିକୃତ ବ୍ୟକ୍ତିମାନେ କେନ୍ଦ୍ରମାନଙ୍କୁ ଆସି ଅଯଥା ଗହଳି ନ କରିବା କିମ୍ବା ରହଣି ପାଇଁ ଅନୁରୋଧ ନକରିବାକୁ ଜିଲ୍ଲାପାଳ ଅନୁରୋଧ କରିବା ସହ ଏହି ପବିତ୍ର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ବନାଥ ପଣ୍ଡା ଓ ଅତିରିକ୍ତ ଡିଆଇଓ ଦୂର୍ଗା ପ୍ରସାଦ ଜେନା ଙ୍କୁ ଅନଲାଇନ ପଞ୍ଜିକରଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି।
Recent Comments