କନ୍ଧମାଳ/୧୨/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ/ ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତ୍ତାଗୁଡା ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ଦୁର୍ଦ୍ଦଶା କହିଲେ ନସରେ। ଦେଶ ସ୍ୱାଧୀନତା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଆବାସିକ ବିଦ୍ୟାଳୟର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରି ନାହି। ୧୯୪୮ ମସିହାରେ ସରକାରଙ୍କର ହରିଜନ ଓ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା l ଅଞ୍ଚଳ ବାସୀଙ୍କ ଆଶାଥିଲା ଯେ, ବିଦ୍ୟାଳୟ ସ୍ଥାପନ ହେଲେ ଏହି ଅଞ୍ଚଳରେ ଗରିବ ହରିଜନ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ଘଟିବ l କିନ୍ତୁ ବହୁଘାତ ପ୍ରତିଘାତ ମଧ୍ୟ ଦେଇ ଏହି ବିଦ୍ୟାଳୟ ପରିଚାଳିତ ହେଉଥିବା ଦେଖାଯାଉଥିବା ବେଳେ ନାହିଁ ନାହିଁରେ ଚାଲିଛି ଏହି ବିଦ୍ୟାଳୟ। ବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ପ୍ରଶାସନ ବିଭାଗୀୟ ଅଧିକାରୀ କିମ୍ବା ଲୋକପ୍ରତିନିଧିଙ୍କ ଦୃଷ୍ଟି ପଡୁନଥିବା ଅଭିଭାବକ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି l ୧୪୦ ସଂଖ୍ୟା ବିଶିଷ୍ଟ ଏହି ବିଦ୍ୟାଳୟରେ ବର୍ତମାନ ୧୧୪ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି l ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଅଫିସ ଗୃହରେ ପାଠପଢା ହେଉଛି l ସେହିପରି ପାନୀୟଜଳ ସମସ୍ଯା, ଶୌଚାଳୟ ନଥିବା ,ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ମଧ୍ୟରେ ଚାଲିଛି ପାଠପଢା l ଏଠାରେ ୩ ଜଣ ସ୍ଥାୟୀ ଶିକ୍ଷକ ଓ ୨ ଜଣ ଅତିଥି ଶିକ୍ଷକରେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଛି l ଅପରପକ୍ଷରେ ବିଦ୍ୟାଳୟ ପାଇଁ ୪ ଏକର ଜମି ଯୋଗାଇ ଦିଆଯାଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କର ଖେଳ କୁଦ କରିବା ପାଇଁ ଖେଳ ପଡିଆ ଟିଏ ନାହିଁ l ସେହିପରି କମ୍ପୁଟର ଶିକ୍ଷା ବ୍ୟବସ୍ଥା, ବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଆଦି ଅତି ଶୋଚନୀୟ। ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ଥିବାବେଳେ ଏହି ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ. ତେବେ ଏନେଇ ସ୍ଥାନୀୟ ଅଧିବାସୀ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ଓ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ,ସ୍ଥାନୀୟ ଲୋକ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l
Recent Comments