ପୁରୀ,୩୦/୧୦/୨୦୨୪(ଆଧାର ମିଡ଼ିଆ)ଦିନକ ପରେ ଆଲୋହଜି ଯିବାକୁ ବସିଛି କୁମ୍ଭକାରଙ୍କ କୌଳିକ ବୃତ୍ତି।କର ପର୍ବ ଦୀପାବଳୀ।ଅନ୍ଧାର ଉପରେ ଆଲୋକର ବିଜୟର ଏହି ପର୍ବ।ଦୀପ ଆଲୁଅରେ ଝଲସିବ ଅମାବାସ୍ୟାର ଅନ୍ଧକାର ରାତି। ପୂର୍ବରୁ ପୁରୀ ଜିଲ୍ଲାର କାକଟପୁର,ଅସ୍ତରଙ୍ଗ ଅଞ୍ଚଳରେ ଲୋକ ମାନେ ମାଟି ଦୀପ ରେ ରାଶି, ପୋଲାଙ୍ଗ,ଜଡ଼ା ତେଲ ପକାଇ ଦୀପ ଜଳାଇ ଦୀପାବଳୀ ପାଳନ କରୁଥିଲେ।ମାଟି ଦୀପ ତିଆରି କରୁଥିବା କୁମ୍ଭକାରଙ୍କ ପରିବାର ମାଟି ଦୀପ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଥିଲେ।ଏବେ ଲୋକ ମାନେ ଘରେ ରଙ୍ଗୀନ ବିଦ୍ୟୁତ ଲାଇଟ ଲଗାଇ ଦୀପାବଳୀ ପାଳନ କରୁଛନ୍ତି।ଆଧୁନିକତାର ଚାକଚକ୍ୟରେ ହଜିଯାଇଛି ମାଟିଦୀପ ଓ ତାର ଚାହିଦା।ଯାହାକୁ ନେଇ ଚିନ୍ତାରେ ନୟାହାଟ ନିକଟସ୍ଥ ଯୋଗେଶ୍ୱରପୁର ମୁଦୁଲି ସାହି,ଅସ୍ତରଙ୍ଗ ନିକଟସ୍ଥ ଓସ୍ତପୁର,କାକଟପୁର ର ମୁଦୁଲି ସାହି ଗ୍ରାମର ଶହ ଶହ ମାଟି ଦୀପ କାରିଗର ପରିବାର।ପରିବର୍ତ୍ତନ ଦୁନିଆରେ ସହର ହେଉ ଅବା ଗାଁର ଲୋକମାନେ ଏବେ ମାଟି ଦୀପରୁ ମୁହଁ ଫେରାଇ ନେଇ ଚାଇନା ବିଦ୍ୟୁତ ଲାଇଟ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି।ଫଳରେ କୁମ୍ଭକାର ପରିବାର ବେଉସା ହରାଉଛନ୍ତି।ଏ ନେଇ ଅସ୍ତରଙ୍ଗ ଓସ୍ତପୁର ଗ୍ରାମର ଦୀପ କାରିଗର ଭ୍ରମରବର ମୁଦୁଲି କହିଛନ୍ତି ଦୀପାବଳି ପାଇଁ ଆମେ ପ୍ରତିବର୍ଷ ମାଟି ଦୀପ ତିଆରି କରିଛୁ କିନ୍ତୁ ତାହା ସମ୍ପୂର୍ଣ ବିକ୍ରି ହୋଇ ପାରୁନାହିଁ। ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି। ଆଜି କାଲିର ଯୁବ ପିଢୀ ଆଉ ମାଟି ହାଣ୍ଡି, ଦୀପ,ଘର କରଣା ଜିନିଷ ତିଆରି କରିବା ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି।କୁମ୍ଭକାର ବୃତ୍ତି ଅଳ୍ପ ଦିନ ମଧ୍ୟରେ ଲୋପ ପାଇଯିବ ବୋଲି କହିଛନ୍ତି ଯୋଗେଶ୍ୱରପୁର ମୁଦୁଲି ସାହି ଗ୍ରାମ ର ସରୋଜ ମୁଦୁଲି। ସରକାର ଯଦି ଏହି କୁମ୍ଭକାର ପରିବାର ପ୍ରତି କିଛି ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଗ୍ରହଣ କରନ୍ତେ ତେବେ କୁମ୍ଭକାର ପରି କୌଳିକ ବୃତ୍ତି ଲୋପ ପାଇବାରୁ ରକ୍ଷା ପାଇଯାଆନ୍ତା।ନ ହେଲେ ଦିନ ଆସିବ ଏହି କୁମ୍ଭକାର କୌଳିକ ବୃତ୍ତି ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ।
Recent Comments