logo
add image
 ପୁଅକୁ ଭଲ କରିବାପାଇଁ ସରକାରଙ୍କୁ ଏକ ମାର ଆକୁଳ ନିବେଦନ

 ପୁଅକୁ ଭଲ କରିବାପାଇଁ ସରକାରଙ୍କୁ ଏକ ମାର ଆକୁଳ ନିବେଦନ

ତ୍ସନାପାଲି/ନୂଆପଡ଼ା-୫-୭-୨୨(ଆଧାର ନ୍ୟୁଜ) ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ମାଆ ଗର୍ଭରେ ଥିବା ଶିଶୁଠାରୁ ଆରମ୍ଭ କରି ବୃଦ୍ଧ-ବୃଦ୍ଧା ତଥା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ହେଲେ ଲୋକଙ୍କ ସଚେତନତାର ଅଭାବ ହେଉ କି ବିଭାଗୀୟ ଅଧିକାରୀଙ୍କ ଅପାରଗତା ଅବା ଆନ୍ତରିକତାର ଅଭାବ ଯୋଗୁଁ ଅନେକ ସ୍ଥାନରେ ଲୋକେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ପଞ୍ଚାୟତ ଚଳନା ଗ୍ରାମରେ। ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ପୁଅର ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବାରୁ ବାପା ଯାଇଛି ଦାଦନ ଓ ସେପଟେ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମାଆ କରୁଛି ଆକୁଳ ନିବେଦନ । ପ୍ରାପ୍ତ ଖବର ଅନୁସାରେ ଚଲନା ନିବାସୀ ରୋହିତ ନାୟକ ଓ ମାତା ରୁକ୍ମଣି ନାୟକଙ୍କ ପୁତ୍ର ନିତେଶ ନାୟକ ବୟସ-୭ ଜନ୍ମରୁ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ନିତେଶ ପୂର୍ଣ୍ଣାଙ୍ଗ ହୋଇ ଜନ୍ମ ହୋଇଥିଲେ ହେଁ ସବୁ ଅଚଳ ହୋଇପଡିଛି। ଶାରୀରିକ ଓ ମାନସିକ ଅସୁସ୍ଥତା କାରଣରୁ କେବଳ ଶୟନ ଅବସ୍ଥାରେ ମାଆ ରୁକ୍ମଣୀର ସେବାରୁ ତା ଜୀବନ ବଞ୍ଚିଛି। ସେ କିଛି ପ୍ରକାଶ କରି ପାରୁନଥିବା ବେଳେ କୋୖଣସି ନିତ୍ୟକର୍ମ କରିପାରେ ନାହିଁ। ଖେଳିବା ବୁଲିବା ବୟସରେ ମାଆ ବାପାଙ୍କର ବୋଝ ପାଲଟିଯାଇଛି। ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ବାପା ଆପ୍ରାଣ ଉଦ୍ୟମ କରି ବର୍ତ୍ତମାନ ସର୍ବସ୍ୱାନ୍ତ। ନିତେଶକୁ ଭଲ କରିବା ପାଇଁ ପ୍ରଥମେ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ଧର୍ମଗଡ, ଭବାନୀପାଟଣା, ଖଡ଼ିଆଳ,ନୂଆପଡା,ବୁର୍ଲା,କଟକ ପ୍ରଭୃତି ହସ୍ପିଟାଲ ବୁଲାଇ ଶେଷରେ ନିରାଶ ହୋଇ ଗଲେଣି ,ଏମାନଙ୍କ ପାଇଁ ସରକାରୀ ବାବୁ ଅବା ଜନ ପ୍ରତିନିଧି ସାତସପନ ପାଲଟିଛନ୍ତି। ମାଆ ରୁକ୍ମଣି ଆଖିର ଲୁହ ତୁଣ୍ଡରେ ମାରି କେବଳ ପୁଅର ସେବାଯତ୍ନ କରିକରି ନିରାଶ ହୋଇ ଗଲାଣି। ମାସକ କି ବର୍ଷକ ନୁହଁ ଆଜକୁ ଦୀର୍ଘ ସାତବର୍ଷ ହେଲା ସେହି ପୁଅ ନିତେଶର ସେବାରେ ମାଆ ସଦାସର୍ବଦା । ଘରେ ଯାହା ଥିଲା କି ରୋଜଗାର ହୁଏ ସବୁ ସର୍ବସ୍ୱନ୍ତ ହୋଇଯାଇଥିବା ପ୍ରକାଶ କରନ୍ତି। ହେଲେ ଓହରି ନାହାନ୍ତି ପୁଅର ଜୀବନ ବଞ୍ଚାଇବା ପ୍ରୟାସରୁ। ଆଜିବି ମାଆ ରୁକ୍ମଣି ପୁଅ ନିତେଶ ପାଇଁ ସମର୍ପିତ ଥିବା ବେଳେ ବାପା ଯାଇଛି ସୁଦୂର କେରଳ ପ୍ରଦେଶକୁ ଦାଦନ ଖଟି। ଦିପଇସା ରୋଜଗାର କଲେ ପୁଅର ଚିକିତ୍ସା ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ସ୍ୱାମୀ ସ୍ତ୍ରୀ. ହେଲେ ତାହା ତ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଅର୍ଥାଭାବରୁ ହୋଇପାରୁନି ପୁଅର ଚିକିତ୍ସା। ରୋହିତର ପରିବାର କହିଲେ ସ୍ତ୍ରୀ ରୁକ୍ମଣି,ବଡ଼ ପୁଅ ମନ୍ଥି ଓ ନିତେଶ। ସମ୍ପତ୍ତି କହିଲେ ରାସନ କାର୍ଡ ଖଣ୍ଡିକ ଓ ନିତେଶକୁ ମିଳୁଥିବା ଭିନ୍ନକ୍ଷମ ଭତ୍ତା ମାସିକ ସାତଶହ ଟଙ୍କା। ଜମିବାଡ଼ି ନାମକୁ ମାତ୍ର। କୁଲିମଜୁରୀ କରି ପରିବାର ଚଳନ୍ତି। ଏଭଳି ସ୍ଥିତିରେ ପୁଅର ଚିକିତ୍ସା ପରିବାର ପକ୍ଷରୁ ସମ୍ଭବ ହୋଇପାରୁ ନାହିଁ। ପୁଅ ନିତେଶକୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମାଆ ରୁକ୍ମଣି କୋହ ଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନିତେଶକୁ ମାଗଣା ସ୍ୱାସ୍ଥ  ସେବା ଯୋଗାଇ ଦେବାକୁ ଦାବି ହେଉଛି।         (ରିପୋର୍ଟ-ହେରମ୍ବ ମେହେର  ସିନାପାଲି )
                                 

Recent Comments

Leave Comments

Top