ଖଡ଼ିଆଳ/ନୂଆପଡ଼ା/୧୮/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୁ ବଡ଼ ସଫଳତା । ଏକ ଲୁଟ୍ ଘଟଣାରେ ଖଡ଼ିଆଳ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ୩୭ ଲକ୍ଷ ୪୦ହଜାର ଟଙ୍କା ସମେତ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ଲକ୍ଷ ଟଙ୍କାର ରୂପା ଉଦ୍ଧାର କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗତ ଶିବରାତ୍ରି ଦିନ ବିଳମ୍ବିତ ରାତ୍ରିରେ ଖଡ଼ିଆଳ ପୁଟୁପଡା ନିବାସୀ ପ୍ରବୀଣ ଅଗ୍ରୱାଲଙ୍କ ଘରୁ ନଗଦ ୩୭ଲକ୍ଷ ୪୦ ହଜାର ୧୨୦ ଟଙ୍କାସହ ୭ ଲକ୍ଷ ଟଙ୍କାର ସୁନାଗହଣା ଓ ୧୦ଲକ୍ଷ ଟଙ୍କାର ରୂପା ବିସ୍କୁଟ ଓ କଏନ ଚୋରି ହୋଇଥିଲା। ଟ୍ରେଜେରି ଟ୍ରଙ୍କ ସହ ସର୍ବମୋଟରେ ୫୪ଲକ୍ଷ ୪୦ହଜାର ୧୨୦ଟଙ୍କାର ସମ୍ପତି ଚୋରି ହୋଇଛି । ଏନେଇ ଖଡ଼ିଆଳ ପୁଟୁ ପଡ଼ାନିବାସୀ ପ୍ରବୀଣ ଅଗ୍ରୱାଲ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖଡ଼ିଆଳ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ କ୍ରମେ ଲୁଟ୍ ମାମଲାରେ ସଂପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ନଗଦ ୩୭ ଲକ୍ଷ ୪୦ ହଜାର ଟଙ୍କା ସହ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ଲକ୍ଷ ଟଙ୍କାର ରୂପା ବିସ୍କୁଟ ଓ କଏନ ଜବତ କରିଛି।ଏଥିସହ ୪ଟି ମୋବାଇଲ ଫୋନ ଓ ୨ଟି ମୋଟର ସାଇକେଲକୁ ମଧ୍ଯ ପୋଲିସ ଜବତ କରିଛି । ଗିରଫ ୪ ଜଣ ଅଭିଯୁକ୍ତ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଅଞ୍ଚଳପୁର ଗାଁର ଗଣେଶ ଠେଲା,ଭୋଲେଶ୍ୱର ଠେଲା,ଚୂଡ଼ାମଣି କାଣ୍ଡ ଓ ହେମନ୍ତ କଟା। ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଓ ଆଇ ଆଇସି ସୁମନ୍ତ ନାଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
Recent Comments