logo
add image
 ଜିଲ୍ଲା ରେଡ଼କ୍ରସ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ -

 ଜିଲ୍ଲା ରେଡ଼କ୍ରସ ତରଫରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ -

ସୁବର୍ଣ୍ଣପୁର/ 0୮/0୫/୨୨/ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫରୁ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ସୋନପୁର କଲେଜର ଏନ୍. ସି.ସି. କ୍ୟାଡେଟ ତଥା ଇନ୍ଫିନିଟୀ ଆଥେଲେଟିକ ଆସୋସିଏସନର ପିଲାମାନଙ୍କୁ ନେଇ ସକାଳ ୭ ଘଟିକା ସମୟରେ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ବ୍ଲକ୍ ଛକଠାରୁ ବାହାରି ପୁରୁଣା ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଶ୍ରୀ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ, ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ରେଡକ୍ରସର ଶ୍ରୀମତୀ ଇପ୍ସିତା ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ଗୌରିଶ୍ୟାମ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ହୋତା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ, ଆଜୀବନ ସଦସ୍ୟ ଉମାକାନ୍ତ ନାଗ, ଅମ୍ବୁଜ ବିହାରୀ ଶତପଥି, ଗତିକୃଷ୍ଣ ମିଶ୍ର, ଜୁନିଅର ରେଡକ୍ରସ ର ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ। ପୁରୁଣା ଟାଉନ୍ ହଲ ଠାରେ ଶୋଭାଯାତ୍ରା ପହଞ୍ଚିବା ପରେ ଅତିଥିମାନେ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଦୁନାଣ୍ଟଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଉକ୍ତ ଅନୁଷ୍ଠିତ ସଂକ୍ଷିପ୍ତ ସଭାରେ ଅତିଥିବୃନ୍ଦ ପିଲାମାନଙ୍କୁ ଆଜି ଦିନର ମହତ୍ତ୍ଵ ବିଷୟରେ ଧାରଣା ଦେବା ସହିତ ଦୈନନ୍ଦିନ ଜୀବନରେ ସେମାନେ କେମିତି ଅଧିକ ଶୃଙ୍ଖଳିତ ହୋଇ ପାରିବେ ସେଥିପ୍ରତି ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ତତ୍ ସଂଗେସଂଗେ ରେଡକ୍ରସର ଯେଉଁ ସାତଗୋଟି ମୌଳିକ ନୀତି ଉପରେ ଆଲୋକପାତ କରି ଜୀବନରେ ସେହି ନୀତିକୁ ଅନୁସରଣ କରିବାପାଇଁ ପରାମର୍ଶ କରିଥିଲେ ।ସଭାପରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ଥାନୀୟ ନାରାୟଣୀ ଆଶ୍ରମର ଅନ୍ତେବାସୀଙ୍କୁ ହାଇଜିଂ କିଟ ଓ ଶିଶୁଗୃହରେ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ପରିଶେଷରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସମେତ, ସୋନପୁର ମ୍ୟୁନିସିାଲିଟି,ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା, ଜୁନିଅର ରେଡ଼କ୍ରସର କାଉନସିଲର ପ୍ରଭୁତି ରକ୍ତଦାନ କରିଥିଲେ। ରକ୍ତଦାନ କରି ଜୀବନ ବଞ୍ଚାଇବା ଏକ ମହାନ୍ କାର୍ଯ୍ୟ ବୋଲି କହି ସମସ୍ତଙ୍କ ମନୋବଳ ବୃଦ୍ଧି ପୂର୍ବକ ଅତିରିକ୍ତ ଜିଲ୍ଲାପାଳ ନିଜେ ତଥା ମ୍ୟୁନିସିାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ। ଆଜି ବିଶ୍ଵ ରେଡକ୍ରସ ଦିବସ ଅବସରରେ ମୋଟ୍ ୪୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଦିନେଶ ରଞ୍ଜନ ମିଶ୍ର, ଆଲୋକ କୁମାର ଦାଶ, ଜୟଦେବ ପାଟଶାଣି, ରିତେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ। (ରିପୋର୍ଟ-ଯୁଧିଷ୍ଠିର ସାହୁ ) 

Recent Comments

Leave Comments

Top