logo
add image
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ ଆଚାର୍ଯ୍ୟ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ ଆଚାର୍ଯ୍ୟ

ଭଟଲି/ବରଗଡ଼/୫/୯/୨୦୨୪(ଆଧାର ମିଡ଼ିଆ): ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ଗୁରୁତ୍ଵ ଦେଉଛନ୍ତି । ଶିକ୍ଷା ଓ ସ୍ଵାସ୍ଥ୍ୟ ସୁଦୃଢ ହେଲେ ରାଜ୍ୟ ତଥା ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ତେବେ ସାଂପ୍ରତିକ ପରିସ୍ଥିତିରେ ବହୁଳ ମାତ୍ରାରେ ଡାକ୍ତରଖାନା ଗଢି ଉଠିଥିବା ବେଲେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଅନେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକୁ ମେଡିକାଲ କଲେଜରେ ବିଗତ ସରକାର ସମୟରେ ରୂପାନ୍ତରଣ କରାଯାଇଛି । ମାତ୍ର ପରିତାପର ବିଷୟ ସେହି ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣରେ ଡାକ୍ତର ନାହାନ୍ତି।  ତେଣୁ ଉଚ୍ଚମାନର ଡାକ୍ତରଖାନା ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏପରିକି ସେହି ଡାକ୍ତରଖାନାକୁ ରୋଗୀ ମାନେ ଚିକିତ୍ସା ପାଇଁ ଗଲେ ଡାକ୍ତର ନଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ କେତେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନରେ କିମ୍ବା ରାତିରେ ରୋଗୀ ଆସିଲେ ଡାକ୍ତର ନଥିବା ପରିଲକ୍ଷିତ ହେଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ଅନ୍ତର୍ଗତ ଭଟଲି, ସୋହେଲା ଓ ଅମ୍ବାଭୋନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ପଦବୀ ବହୁ ବର୍ଷ ହେବ ଖାଲି ପଡ଼ିଥିବା ଜଣାପଡିଛି । ଅମ୍ବାଭୋନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ମେଡିସିନ ବିଭାଗ ଓ ଅସ୍ତ୍ରୋପଚାର ବିଭାଗର ବିଶେଷଜ୍ଞ ପଦବୀ ଖାଲି ପଡିଥିବାବେଳେ ଭଟଲି ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଅସ୍ତ୍ରୋପଚାର ଏବଂ ଦାନ୍ତ ବିଭାଗର ବେଶଷଜ୍ଞ ପଦବୀ ଖାଲି ପଡ଼ିଛି । ସେହିପରି ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମେଡିସିନ, ଅସ୍ତ୍ରୋପଚାର, ଅସ୍ଥିଶୈଲ୍ୟ ଓ ଶିଶୁ ବିଭାଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ତେଣୁ ଏହି ପଦବୀ ଗୁଡ଼ିକ ଶୀଘ୍ର ପୁରଣ କରି ଭଟଲି ବିଧାନସଭା ଅଞ୍ଚଳରେ ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଦୃଢ଼ ଦାବି କରିଛନ୍ତି । ଏହାସହିତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଉନ୍ନତିକରଣ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏହି ତିନୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର ହୋଇଗଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ବିଧାୟକ ଦାବି କରିଛନ୍ତି । ତାଙ୍କର ଏଭଳି ଉଦ୍ୟମକୁ ଭଟଲି ନିର୍ବାଚନମଣ୍ଡଳୀ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି  ।

Recent Comments

Leave Comments

Top