ବାଲିଗୁଡା/୧୦/୦୮/୨୦୨୪/:(ଆଧାର ମିଡ଼ିଆ/ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): ରଖେ ହରି ମାରେ କିଏ’ ‘ମାରେ ହରି ରଖେ କିଏ’ ଏହି ଲୋକକଥା ବା ପ୍ରହେଳିକା ହେଲେ ମଧ୍ୟ ବାସ୍ତବରେ ମଧ୍ୟ ତାହା ସତ୍ୟ । ଏକ ଜନ୍ମିତ ଶିଶୁଟି ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବାସହ ଦୀର୍ଘ ଏକମାସ ଜୀବନ ସହ ସଂଗ୍ରାମ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶିଶୁଟି ନୂଆ ଜୀବନ ପାଇଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତର ଗଟାମାହା ଗ୍ରାମର ଅନନ୍ତ ପ୍ରଧାନଙ୍କ ଶିଶୁ ପୁତ୍ରଙ୍କ ଠାରେ ।
ଅନନ୍ତଙ୍କ ଶିଶୁଟି ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଜନ୍ମ ହେବା ପରେ ଶିଶୁଟିର ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହେବାରୁ ଡାକ୍ତର ଫୁଲବାଣୀରୁ ବ୍ରହ୍ମପୁର ଏମକେସିଜି ବଡ ମେଡିକାଲ ସେଠାରୁ କଟକ ଶିଶୁ ଭବନରେ ମଧ୍ୟ ଶିଶୁଟିର ଉତ୍ତମ ଚିକିତ୍ସା ହୋଇ ନପାରିବାରୁ ପରିବାର ଲୋକ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଅପୋଲ ପ୍ରାଇଭେଟ ମେଡିକାଲରେ ଭର୍ତ୍ତିକଲେ ସେହି କାର୍ଡରୁ ସମସ୍ତ ଅର୍ଥ ସରିଯିବା ପରେ ମଧ୍ୟ ଶିଶୁଟି ଜୀବନ ମରଣ ସହ ସଂଗ୍ରାମ କରୁଥିଲା । ପରିବାର ଲୋକେ ଆଶା ଛାଡି ଦେଇଥିଲେ ଯେ ତାଙ୍କର ଜନ୍ମିତ ଶିଶୁ ପୁତ୍ରଟି ବଞ୍ଚିବ ଓ ଦୁନିଆ ଦେଖିବ ।
ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ନଜରକୁ ଏହି ଘଟଣା ଆସିବା ପରେ ଉକ୍ତ ପରିବାର ସଦସ୍ୟଙ୍କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିକଙ୍କ ନିକଟକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ କହିବା ଓ ରିପୋର୍ଟ ଦେଖାଇଥିଲେ । ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ତୁରନ୍ତ ରାଷ୍ଟ୍ରୀୟ ବାଲ ବିକାଶ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଶିଶୁଟିକୁ କଲିକତା ସ୍ଥିତ ନାରାୟଣୀ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ପଠାଇଥିଲେ. ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଆଶ୍ଵାସନା ଦେଇଥିଲେ । ଗଟାମାହା ଗ୍ରାମର ଅନନ୍ତ ପ୍ରଧାନ ତାଙ୍କର ଏକ ମାସର ଶିଶୁକୁ ନେଇ କଲିକତା ନାରାୟଣୀ ସୁପର ସ୍ପେସାଲିଷ୍ଟ ହସ୍ପିଟାଲକୁ ଯିବା ପରେ ଶିଶୁ ଟିର ଉତ୍ତମ ଚିକିତ୍ସାପରେ ଅଗଷ୍ଟ ୧ ତାରିଖ ଦିନ ଶିଶୁଟିର ସଫଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ ବର୍ତ୍ତମାନ ଶିଶୁଟି ସୁସ୍ଥ ରହିଥିବା ପରିବାର ଲୋକେ କହିଛନ୍ତି । ଅଞ୍ଚଳବାସୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିକ ଓ ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
Recent Comments