ସୁବର୍ଣ୍ଣପୁର/0୮/୧୨/୨0୨୩/ ( ଆଧାର ମିଡ଼ିଆ )ରାଜ୍ୟରେ ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ଯରେ ଦୃଷ୍ଟିହୀନତା ଅନ୍ୟତମ । ଏହାର ଚିକିତ୍ସା, ନିରାକରଣ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସୁନେତ୍ର ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଚିକିତ୍ସାଳୟ ଗୁଡିକରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ମଧ୍ଯ ଚକ୍ଷୁ ଜନିତ ସମସ୍ୟାର ସମାଧାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ନେତ୍ର ଚିକିତ୍ସାଳୟ କାର୍ଯ୍ୟ କରୁଛି ଏବଂ ଏହି ଚିକିତ୍ସାଳୟକୁ ଆହୁରୀ ସୁଦୃଢ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ।
ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଆଭାଷୀ ମାଧ୍ୟମରେ ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ପରିଷଦର ଆର୍ଥିକ ଅନୁଦାନରେ ନିର୍ମାଣ କରାଯାଉଥୁବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଶ୍ରୀ ତ୍ରିପାଠୀ । ଏ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟର ଅଧିକାରୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି । 1 କୋଟି ବ୍ୟୟ ବରାଦରେ ଚିକିତ୍ସାଳୟର ଉନ୍ନତିକରଣ କରାଯିବ । ବର୍ତ୍ତମାନ ଚିକିତ୍ସାଳୟରେ ୩୦ଟି ଶଯ୍ୟା ଥିବା ବେଳେ ଏହାକୁ ୮୦ ଶଯ୍ୟା ବିଶିଷ୍ଟ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ଆଧୁନିକ ଚିକିତ୍ସା ଉପକରଣର ବ୍ୟବସ୍ଥା କରାଯିବା ସମେତ ପଶ୍ଚିମ ଓଡିଶାରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଏହା ଉତ୍କର୍ଷର କେନ୍ଦ୍ର ହେବବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହାସହ ସୁବର୍ଣ୍ଣପୁରରେ ନିର୍ମାଣ ହେଉଥିବା ନୂତନ ପର୍ଯ୍ୟଟନ ଆକର୍ଷଣ ହସ୍ତତନ୍ତ ମଲ୍ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ବୁଝିବା ସହିତ ଜିଲ୍ଲା ଲାଇବ୍ରେରୀର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି ।ଉକ୍ତ ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments