logo
add image
 ପାଇଖାନା ନିର୍ମାଣରେ ଦୁର୍ନୀତି-ଫେଲ ମାରିଛି ସ୍ଵଛଭାରତ ଅଭିଯାନ

ପାଇଖାନା ନିର୍ମାଣରେ ଦୁର୍ନୀତି-ଫେଲ ମାରିଛି ସ୍ଵଛଭାରତ ଅଭିଯାନ

ନୂଆପଡା/16/03/2022/( ନ୍ୟୁଜ-ଆଧାର ଓଡିଶା)  ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ଯୋଜନା ଅନ୍ୟତମ । ଗାନ୍ଧୀଙ୍କ ସ୍ୱପ୍ନକୁ ପୁରା କରିବା ଲକ୍ଷ୍ୟ ନେଇ ଅକ୍ଟୋବର ଦୁଇ ୨୦୧୪ ମସିହା ଠାରୁ ଏହି ଯୋଜନା ଲାଗୁ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ବର୍ଷକୁ ମଧ୍ୟ ସ୍ୱଚ୍ଛ ଓ ପରିଷ୍କାର ରଖିବା, ରାସ୍ତା ଘାଟ ପରିଷ୍କାର ସହ ନିଜ ପରିବେଶକୁ ସ୍ୱଚ୍ଛରଖି ପ୍ରତ୍ୟେକ ଗାଁକୁ ବାହ୍ୟ ମଳମୁକ୍ତ ଗାଁ କରିବା  । ୨୦୧୯ ମସିହା ପର୍ଯ୍ୟନ୍ତ ଏହା ସଫଳର ସମୟ ଧାର୍ଯ୍ୟ ରଖା ଯାଇଥିଲା । ହେଲେ ଲାଭଖୋର ଅଧିକାରୀ, କର୍ମଚାରୀ ଓ ଜନସଚେତନତାର ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ଏହା ଫେଲ ମାରିଥିବା ଦେଖିବାକୁ ମିଳିଛି।ନୂଆପଡା ଜିଲ୍ଲା ହେଉଛି ଓଡିଶାର ଏକ ପଛୁଆ ଓ ଅନୁନ୍ନତ ଜିଲ୍ଲା ।ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବାର ଖବର ଅନେକ ସମୟରେ ପ୍ରକାଶ ପାଉଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଦୁର୍ନୀତି  ସାମ୍ନାକୁ ଆସିଛି । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଯୋଗୁଁ ଏହି ଯୋଜନା ଫେଲ ମାରିଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୪ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ବ୍ଲକର ୨୬ ଗୋଟି ପଞ୍ଚାୟତର ୨୨ହଜାର ହିତାଧିକାରୀଙ୍କ ନାଁରେ ଶୌଚାଳୟ ନିର୍ମାଣ ହୋଇଛି ।ପ୍ରତି ଗାଁକୁ ପଶିଗଲେ ପ୍ରଥମେ ଦେଖିବାକୁ ମିଳୁଛି ବାହ୍ୟ ମଳମୁକ୍ତ ଗାଁ ଆପଣଙ୍କୁ ସ୍ୱାଗତ କରୁଛିର ବୋର୍ଡ଼।ବାସ୍ତବ ଚିତ୍ର କିନ୍ତୁ ଓଲଟା।ଲୋକେ ଏବେ ମଧ୍ୟ ଖୋଲା ସ୍ଥାନରେ ମଳ ତ୍ୟାଗ କରୁଛନ୍ତି।କାରଣ ନିମ୍ନ ମାନର ପାଇଖାନା ହେତୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନି। ଶୌଚାଳୟ ନିର୍ମାଣ ସୁନ୍ଦର ଦିଶୁଛି କେବଳ କାଗଜ କଲମରେ, ହେଲେ ବାସ୍ତବ ଚିତ୍ର ଦେଖିଲେ ସତେ ଯେମିତି ମନେ ହୁଏ ସରକାରୀ ବାବୁମାନେ ଉଦ୍ଦେଶ୍ୟ ମୂଳକ ଭାବେ କାର୍ଯ୍ୟକରି ସରକାର କା ମାଲ ଦରିଆ ମେ  ଡାଲ ସଦୃଶ " କରି ଦେଇଛନ୍ତି । ଏହି ଯୋଜନାରେ ଜିଲ୍ଲା ଜନସ୍ଵାସ୍ଥ୍ୟ ବିଭାଗ ସାଙ୍ଗକୁ ବ୍ଲକ ବିଡ଼ିଓଙ୍କ ଅଧୀନରେ କାର୍ଯ୍ୟ ଆରମ୍ଭ ଦିନଠାରୁ ଦୁଇଯନ୍ତ୍ରି ନିୟୋଜିତ ଥିଲେ । ହେଲେ ଖଡ଼ିଆଳ ବ୍ଲକର ଶୌଚାଳୟ ନିର୍ମାଣ କାର୍ଯ୍ୟରେ ଉନ୍ନତ ଧରଣ କାର୍ଯ୍ୟ ହେବା ପରିବର୍ତେ ନିମ୍ନମାନର ହେବା ହେତୁ ତାହା ବ୍ୟବହାର ହୋଇ ପାରୁନାହିଁ । ଏହି ଯୋଜନାରେ ଶୌଚାଳୟ ନିର୍ମାଣ ସାଙ୍ଗକୁ ଗାଁ ପରିମଳ ପ୍ରତି ବିଶେଷ ଦୃଷ୍ଟିଦେଇ ସଚେତନତା କରିବାର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଖଡ଼ିଆଳ ପ୍ରଶାସନ ସମ୍ପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହୋଇଛି ।ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଳଜଳ ଦିଶୁଛି।ପ୍ରତି ପାଇଖାନା ନିର୍ମାଣ ପାଇଁ ବାରହଜାର ଟଙ୍କା ସହାୟତା ରାଶି ଦେବାର ନିୟମ ଅଛି।ହିତାଧିକାରୀ ନିଜେ ଏହି ଟଙ୍କାରେ ଶୌଚାଳୟ ନିର୍ମାଣ କରି ପାରିବେ।କିନ୍ତୁ ପ୍ରଶାସନ କିଛି ଲୋକଙ୍କୁ ସମ୍ପୂର୍ଣ୍ଣ ଗାଁର ଠିକାଦେଇ ଟଙ୍କା ହରିଲୁଟ କରିଛି।ଅଧା ଟଙ୍କାରେ ଯାହିତାହି ନିର୍ମାଣ କରି ବାକିଟଙ୍କା ଭାଗ ବଣ୍ଟା କରି ଖାଇଦେଇଛନ୍ତି।ଏପରି ଭାବରେ ହିସାବ କଲେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅନେକ ପଂଚାୟତରେ ନିର୍ମାଣ ହୋଇଥିବା ଶୌଚାଳୟରେ ଗୋଟିଏ ଶୌଚାଳୟ ର ଦୁଇଟି କାନ୍ଥରେ ପୃଥକ ପୃଥକ ଗାଁର ହିତାଧିକାରୀଙ୍କ ନାମ ଲେଖି ବିଲକରି ଟଙ୍କା ଆତ୍ମସାତ କରିଥିବା ଦେଖିବାକୁ ମିଳିଛି । ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ମାନେ ନିମ୍ନ ମାନର କାର୍ଯ୍ୟ କରିଛନ୍ତି  । ଆମେ ଯଉ ଚିତ୍ର ଆପଣଙ୍କୁ ଦେଖାଉଛୁ ତାହା କେବଳ ଉଦାହରଣ ମାତ୍ର ଏମିତି ହଜାର ହଜାର ଶୌଚାଳୟ ନିର୍ମାଣ ହୋଇଛି। ଏକା ସାଙ୍ଗରେ ତିନିଟି ଶୌଚାଳୟ ନିର୍ମାଣ କରାଯାଇ ଟଙ୍କା ହଡପ କରାଯାଇଛି।ଦୁଇଟି ଶୌଚାଳୟରେ ତିନିଜଣ ହିତାଧିକାରୀଙ୍କ ନାମ ଲେଖାହୋଇଛି । ଅନେକ ସ୍ଥାନରେ ଶୌଚାଳୟ ନିର୍ମାଣ ନାମକୁ ମାତ୍ର ହୋଇଛି । କୋଉଠି ଲୋକେ କୁକୁଡ଼ା ଗୃହ କରିଥିବା ଦେଖିବାକୁ ମିଳିଥିବା ବେଳେ, କଉଠି ଅବ୍ୟବହାର୍ୟ୍ଯ ଜିନିଷପତ୍ର ରଖୁଛନ୍ତି । ଖଡ଼ିଆଳ ବ୍ଲକରେ ସ୍ୱଚ୍ଛଭାରତ ମିଶନ ଯୋଜନାରେ ଆବର୍ଜନା କୁଣ୍ଡ ନିର୍ମାଣ କାଗଜପତ୍ରରେ ସିମିତି ଥିବାବେଳେ ବାହ୍ୟମଳ ମୁକ୍ତ ଅଂଚଳ କେବଳ ବିଜ୍ଞାପନ ହୋଇ ରହିଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।ଏନେଇ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ପଚାରିବାରୁ କୌଣସି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଥିଲେ ।

                 ( ନୂଆପଡାରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ )       

Recent Comments

Leave Comments

Top