ରାୟଗଡା/୦୪/୦୩/୨୦୨୨/(ନ୍ୟୁଜ-ଆଧାର ଓଡିଶା) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍ଆର୍ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୁଳ୍ୟରେ ଇଣ୍ଡିଆ ହାଇପରଟେନସନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁମୁଲ୍ୟ ଜୀବନ ରକ୍ଷା କରାଯାଇପାରୁଛି । ଇଣ୍ଡିଆ ହାଇପରଟେନସନ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ଓଡିଶା ହେଉଛି ୨୦ ତମ ରାଜ୍ୟ । ଗତ୦୩/୦୩/୨୦୨୨ ରେ ରାୟଗଡା ଜିଲ୍ଲାର ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ଏବଂ ଆଗାମୀ ଦିନରେ ଏହା ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହି ଅବସରରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା॰ ଲାଲ ମୋହନ ରାଉତରାୟ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା॰ ଭି ଏଲ୍ ଏନ୍ ରାଜୁ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡା॰ ମନୋଜ ପାତ୍ରୁନି ଏବଂ ଅନ୍ୟ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅଣ ସଂକ୍ରମଣକାରୀ ରୋଗ କୁ ସମର୍ଥନ କରିବା ଏବଂ ଓଡିଶା ରାଜ୍ୟରେ ଉପରୋକ୍ତ ତିନୋଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କାର୍ଡିଓ ଭାସ୍କୁଲାର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆଇସିଏମ୍ଆର୍ ତରଫରୁ ବରିଷ୍ଠ ଚିକିତ୍ସା ସୁପରଭାଇଜର ମାନେ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁକରଣ କରାଯାଇଥିବା ହାର୍ଟ ପ୍ୟାକେଜ୍ ଅନୁସରଣ କରି ଅଣ ନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ରୋଗୀମାନଙ୍କର ମୃତ୍ୟୁହାରକୁ ହ୍ରାସ କରିବା । ୨୦୨୫ ସୁଦ୍ଧା ହୃଦ୍ ରୋଗ ଜନିତ ରୋଗ ୨୫ ପ୍ରତିଶତ ହ୍ରାସ ପାଇବାର ଲକ୍ଷ ରଖାଯାଇଥିବା ବେଳେ ଏହି ପ୍ୟାକେଜ୍ ଅନୁକରଣ କରିବା ଦ୍ୱାରା ଲୁଣ ଖାଇବା ପରିମାଣ ୩୦ ପ୍ରତିଶତ ହ୍ରାସ ପାଇବ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ୨୫ ପ୍ରତିଶତ କମିବ ବୋଲି ଆଶା କରାଯାଉଛି । ଆଜି ରାୟଗଡା ଜିଲ୍ଲାର ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ବିଷୟରେ ଏକ ତାଲିମ ପ୍ରଦାନ କରାଯାଇଥିବା ବେଳେ ପରର୍ବୀ ସମୟରେ ଏହି ତାଲିମ ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟ ମାନଙ୍କୁ ପ୍ରଦାନ କରାଯିବ । ରାୟଗଡ଼ ଜିଲ୍ଲାର ସହରାଳ ସ୍ୱାସ୍ଥ୍ୟ କେନ୍ଦ୍ର -୧ ରେ ଜଣେ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଏହି କାର୍ଯ୍ୟକ୍ରମରେ ପଞ୍ଜୀକୃତ କରାଯାଇ ଇଣ୍ଡିଆ ହାଇପରଟେନସନ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସୂଚନା ଯେଗ୍ୟ ଯେ ପୂର୍ବରୁ ଏହି କାର୍ଯ୍ୟକ୍ରମ ମୋଟ ୧୯ ଟି ରାଜ୍ୟର ୧୦୧ ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ସାରିଛି ଏବଂ ଏଥିରେ ମୋଟ୍ ୨.୧ ନିୟୁତ ଉଚ୍ଚ ରକ୍ତଚାପ ରୋଗୀ ପଞ୍ଜୀକୃତ କରିଛନ୍ତି । (ରିପୋର୍ଟ-ସହଦେଵ ସାହୁ)
Recent Comments