ଗୁଣୁପୁର/ ରାୟଗଡା/୧୭ /୧୨ /୨୦୨୨/ (ଆଧାର ନ୍ୟୁଜ) ଜିଲ୍ଲାର ବୃହତ୍ତମ ଉପଖଣ୍ଡ ଗୁଣୁପୁର ହୋଇଥିବା ବେଳେ ଏଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ନାହାଁନ୍ତି ଡାକ୍ତର । କେବଳ ଯେ ଡାକ୍ତର ଅଭାବ ତା ନୁହେଁ ଚିକିତ୍ସାଳୟ ସହ ଜଡିତ ବିଭିନ୍ନ ବିଭାଗର କର୍ମଚାରୀଙ୍କ ମଧ୍ୟ ଘୋର ଅଭାବ ରହିଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ମୋଟ ୧୯ ଜଣ ସ୍ଥାୟୀ ଡାକ୍ତର ରହିବାକଥା ହେଲେ ଅଛନ୍ତି ମାତ୍ର ୬ ଜଣ । ଏଥିରୁ ଅତିଥି ଡାକ୍ତର ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ୫ ଜଣ । ଭେଷଜ ଡାକ୍ତର ଉଚ୍ଚ ଶିକ୍ଷାପାଇଁ ଚାଲିଯିବା ପରେ ଏବେ କେବଳ ଅତିଥି ଡାକ୍ତରଙ୍କ ଭରସାରେ ରୋଗୀ । ଏଠାରେ ଭେଷଜ, ଶିଶୁ, ଅସ୍ଥିଶଲ୍ୟ, ଦାନ୍ତ, ନିଶ୍ଚେତକ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜଣେ ହେଲେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି । ୩୮ ଜଣ ନର୍ସଙ୍କ ବଦଳରେ ୨୩ ଏଥିମଧ୍ୟରୁ ୮ ଜଣ ଅନ୍ୟତ୍ର କାର୍ଯ୍ୟରତ ଅଛନ୍ତି । ୭ ଜଣ ଲ୍ୟାବ ଟେକ୍ନିସିଆନ ରହିବା ବଦଳରେ ୩ ଜଣରେ କାମ ଚାଲୁଛି । ରଞ୍ଜନ ରଶ୍ମି ବିଭାଗରେ ୩ ଜଣ ପରିବର୍ତ୍ତେ ମାତ୍ର ଜଣେବ୍ୟକ୍ତି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଭଳି ନାହିଁ ନାହିଁରେ ଅତି ଦହନୀୟ ଅବସ୍ଥାରେ ଗତି କରୁଛି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ । ମୋଟ ୭ ଗୋଟି ବ୍ଲକ୍ ବାସିନ୍ଦାଙ୍କ ସହ ପଡୋଶୀ ଗଜପତି ଓ ଆନ୍ଧ୍ରର କିଛି ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଉଦାସୀନତା ଓ ଜିଲ୍ଲା ପ୍ରଶାସନର ଅଣଦେଖା ଯୋଗୁଁ ସାଧାରଣ ରୋଗୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ସାମାନ୍ୟ କିଛି ହେଲେ ସଙ୍ଗେ ସଙ୍ଗେ ଅନ୍ୟତ୍ର ରେଫର କରାଯାଉଛି । ତେଣୁ ଏହାକୁ ରେଫର ମେଡ଼ିକାଲ ନାମରେ ଜନସାଧାରଣ କହୁଥିବା ଚର୍ଚ୍ଚା ହେଉଛି ।ଏହି ରେଫର ମେଡିକାଲର ସ୍ଥିତି ନ ସୁଧୁରିଲେ ଏକ ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ସଜବାଜ ହେଉଥିବା ଆଭାସ ମିଳୁଛି । (ରିପୋର୍ଟ-ନରସିଂହ ମହାନ୍ତି)
Recent Comments