ରାୟଗଡା/୨୭/୦୯/୨୨/ (ଆଧାର ନ୍ୟୁଜ) ରାୟଗଡା ସଦର ମହକୁମା ସ୍ଥିତ ସାଇପ୍ରିୟା ନଗର ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ ଏବଂ ଅନୁସୂଚୀତ ଜାତି ଓ ଜନଜାତି ବିକାଶ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରାକା କରକମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି । ସୂଚନାରୁ ପ୍ରକାଶ ଯେ, ସାଇପ୍ରିୟା ନଗର ଏବଂ ତାର ଆଖପାଖ ଅଞ୍ଚଳ ବାରିଝୋଲା, ତୁମ୍ବିଗୁଡା, ଖଲିଗୁଡା, କୋତାପେଟା, ଶ୍ରୀରାମ ନଗର ଓ ହଉସିଂ ବୋର୍ଡ ଆଂଚଳରେ ବସବାସ କରୁଥିବା ଲୋକେ ୩ କିଲୋମିଟର ଦୁରତାରେ ଥିବା ରାୟଗଡ ମୂଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାଆନ୍ତି ଏବଂ ଅତି ଜରୁରୀକାଳୀନ ଚିକିତ୍ସା ସେବା ପାଇବାରେ ଅସୁବିଧା ଭୋଗୀ ଥାଆନ୍ତି । ଏଥିନେଇ ବିଗତ ଦିନରେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ରାୟଗଡ ଜିଲ୍ଲାପାଳଙ୍କ ଠାରେ ଲିଖି ଅଭିଯୋଗ କରିବା ସହ ବିଭିନ୍ନ ସମୟରେ ଦାବୀ ଉପସ୍ଥାପନ କରିଆସୁଥିଲେ । ବର୍ତ୍ତମାନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ ହେବା ଫଳରେ ଏହି ସବୁ ଅଞ୍ଚଳ ବାସୀଙ୍କ ଠାରେ ଖୁସିର ଲହରୀ ଖେଳିଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରାଯାଇ ଅତି ଜରୁରୀ ଚିକିତ୍ସା ପାଇଁ ମୂଖ୍ୟ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରାଯିବା ସହ ପ୍ରତି ସପ୍ତାହରେ ଏହି ଚିକିତ୍ସା କେନ୍ଦ୍ରରେ ବିଭିନ୍ନ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ଦିଆଯିବା ନେଇ ରାୟଗଡା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ ପ୍ରକାଶ କରିଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଉଦ୍ଘାଟନ ବେଳେ କୋରାପୁଟ ଲୋକ ସଭା ସାଂସଦ ଶ୍ରୀ ସପ୍ତଗିରୀ ଶଙ୍କର ଉଲ୍ଲାକା, ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ରାୟଗଡ ପୌରପାଳିକା ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧୀର ଦାସ, କାଉନସିଲର, ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ନନ୍ଦ କିଶୋର ଚୌଧୁରୀ, ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା, ଲାଡି ଚନ୍ଦ୍ରମୌଳି,ମଙ୍ଗଳ ମୁତ୍ତି ବେହୁରିଆ ,ପ୍ରଦୀପି ଦାସ , ସନ୍ୟାସୀ ପାଣିଗ୍ରାହୀ,ଜି ବ୍ରହ୍ମାଜି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ।
Recent Comments