logo
add image
୨ଦଶନ୍ଧିଧରି ବିନା ପଞ୍ଜିକରଣରେ ଚାଲିଛି ରୋଗୀଙ୍କ ଚିକିତ୍ସା Iଅଣତାଲିମ ପ୍ରାପ୍ତ ବ୍ୟକ୍ତିଙ୍କ ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ!

୨ଦଶନ୍ଧିଧରି ବିନା ପଞ୍ଜିକରଣରେ ଚାଲିଛି ରୋଗୀଙ୍କ ଚିକିତ୍ସା Iଅଣତାଲିମ ପ୍ରାପ୍ତ ବ୍ୟକ୍ତିଙ୍କ ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ!

ବିଷମକଟକ/ରାୟଗଡା/ (ଆଧାର ନ୍ୟୁଜ)  ଭିତ୍ତିଭୂମି ନାହିଁ I ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପଞ୍ଜିକୃତ ବି ହୋଇ ନାହିଁ I ହେଲେ ମଧ୍ୟ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟହେବ ବିନା ପଞ୍ଜିକୃତ କ୍ଲିନିକରେ ଚାଲିଛି ରୋଗୀଙ୍କ ଚିକିତ୍ସା I ସିଡିଏମଓଙ୍କ ଜ୍ଞାତରେ ସମସ୍ତ ଅନିୟମିତତାକୁ ପ୍ରୋତ୍ସାହନ ମିଳୁଥିବା ଅଭିଯୋଗ I ରାୟଗଡା ଜିଲ୍ଲା ବିଷମକଟକ ସଦର ରାଜରାସ୍ତା ସ୍ଥିତ ଏକ ଘରୋଇ କ୍ଲିନିକ ପ୍ରତି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଉଥିବା ଅହେତୁକ ଅନୁକମ୍ପା ଯୋଗୁଁ ଅବାଧରେ ବିନା ପଞ୍ଜିକରଣରେ ଦୁଇ ଦଶନ୍ଧି ରୁ ଅଧିକ ସମୟ ହେବ ବେଆଇନ ଭାବେ କ୍ଲିନିକ ଚାଲୁଥିବା ନେଇ ଅଭିଯୋଗ ହେଉଛି I କେବଳ ବିଷମକଟକ ସଦର ପଂଚାୟତ ନୁହଁ ବରଂ ଦୁର୍ଗୀ, ଚାଟିକଣା,ଏଭଳି ଭିନ୍ନ ଭିନ୍ନ ସ୍ଥାନ ମାନଙ୍କରେ ଅବାଧରେ ଏଭଳି  କ୍ଲିନିକ ସକ୍ରିୟ ଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସ୍ଥାଣୁ ସାଜିଥିବା ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି I କ୍ଲିନିକ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦେଶନାମା ଓ ନିୟମାବଳୀ ରହିଛି ଯାହାର ଆଧାରରେ କ୍ଲିନିକପାଇଁ ଆବଶ୍ୟକୀୟ ସ୍ଥାନ, କ୍ଲିନିକ ପରିଚାଳକ,ମାଲିକ ନାଁରେ ଉକ୍ତ ସ୍ଥାନର ସ୍ୱତନ୍ତ୍ର ପଞ୍ଜିକରଣ,ନିର୍ଦ୍ଧାରିତ ବିଶିଷ୍ଟ ଶଯ୍ୟା,ପାଇଖାନା, ଯୋଗ୍ୟତା ସହ ତାଲିମ ପ୍ରାପ୍ତ ମହିଳା ଓ ପୁରୁଷ କର୍ମଚାରୀ ଏବଂ ମୁଖ୍ୟତଃ ସମସ୍ତ ନଥିପତ୍ର ସହ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏଥିପାଇଁ ଆବେଦନ କରିବାକୁ ହୋଇଥାଏ I ଆବେଦନ ପରେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ କମିଟି ତଦନ୍ତକରି କ୍ଲିନିକ ପରିଚାଳନା ପାଇଁ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକାଳ ପାଇଁ ଅନୁମତି ପ୍ରଦାନ କରିଥାନ୍ତି I କିନ୍ତୁ ବିଷମକଟକ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପାଖରେ ଥିବା କ୍ଲିନିକରେ ଏହି ସବୁର ବ୍ୟତିକ୍ରମ ହେଉଥିବା ବେଳେ ଦଶନ୍ଧି ଦଶନ୍ଧି ଧରି ଏହା ବେଧଡ଼କ ଚାଲିଛି ଯାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଶୈଳୀ ପ୍ରତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି I ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ଡିଗ୍ରୀ ନଥିବା ସହ କ୍ଲିନିକଟି ମଧ୍ୟ ପଞ୍ଜିକୃତ ହୋଇ ନଥିବା ଅଭିଯୋଗ ରହିଛି. ଯାହାପାଇଁ କ୍ଲିନିକ ଆଗରେ ନାମ ଫଳକ କିମ୍ବା ଡାକ୍ତରଙ୍କ ସୂଚନା ମଧ୍ୟ ନାହିଁ I ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି କ୍ଲିନିକଟି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ଚାଳିଶମିଟର ଦୂରରେ ଥିବାବେଳେ ଏହା ସ୍ୱାସ୍ଥ୍ୟ ବିଭାଗର ନଜରକୁ କେମିତି ଆସୁନାହିଁ ତାହା ପରିତାପର ବିଷୟ I କରୋନା ମହାମାରୀର ପ୍ରଥମ ଏବଂ ଦ୍ଵିତୀୟ ଲହରୀରେ ମଧ୍ୟ ଏ ସବୁ କ୍ଲିନିକ ଗୁଡିକ ବେଶ ସକ୍ରିୟ ଥିଲେ ସୁଦ୍ଧା ଏମାନଙ୍କ ଉପରେ ଅଙ୍କୁଶ ଲଗେଇବାରେ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ପ୍ରକାର ଚେଷ୍ଟା ମଧ୍ୟ କରାଯାଇ ନଥିଲା I ପ୍ରକାଶ ଥାଉକି ବିଷମକଟକ ଠାରେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ଏହି କ୍ଲିନିକଟି ବେଆଇନ ଭାବେ ପରିଚାଳିତ ହୋଇ ଆସୁଥିବା ସହ ବିନା ପଞ୍ଜିକରଣ, ଭିତ୍ତି ଭୂମିର ଅଭାବ ଏବଂ ବିନା ଯୋଗ୍ୟତା, ତାଲିମ ବିହୀନ ଚିକିତ୍ସକ ଓ କର୍ମଚାରୀ ଦ୍ୱାରା ରୋଗୀଙ୍କ ଚିକିତ୍ସା କରାଯାଉଥିଲେ ମଧ୍ୟ ସିଡିଏମଓଙ୍କ କାର୍ଯ୍ୟାଳୟ ଏସବୁ ଅନିୟମିତତା ପ୍ରତି କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି I ଅଯୋଗ୍ୟତା ସତ୍ୱେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଇଞ୍ଜେକ୍ସନ,ଔଷଧ ପତ୍ର, ଭୃଣ ହତ୍ୟା ଏସବୁ ବେଧଡକ ଚାଲିଥିବା ଅଭିଯୋଗ ଏକ ସାଧାରଣ ବିଷୟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଓ ଅବହେଳା ଏଥିପାଇଁ ପରୋକ୍ଷ ଭାବେ ଦାୟୀବୋଲି ଗୁରୁତ୍ୱାରପ କରାଯାଉଛି I ଗତକାଲି ରାୟଗଡା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମୁନିଗୁଡା ବ୍ଲକଠାରେ ଏକ ଘରୋଇ କ୍ଲିନିକ ଉପରେ ରେଡ କରାଯାଇ ଅନିୟମିତତା କାରଣରୁ ଉକ୍ତ କ୍ଲିନିକକୁ ସିଲ କରାଯାଇଥିଲା I ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କର ଏଭଳି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଥିବା ବେଳେ ବିଷମକଟକ ସଦର ପଂଚାୟତ ଏବଂ ଆଖ ପାଖ ଅଞ୍ଚଳ ଗୁଡିକରେ ସକ୍ରିୟ ଥିବା ଅନେକ ବେଆଇନ କ୍ଲିନିକ ଗୁଡିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି I   

Recent Comments

Leave Comments

Top