logo
add image
ଜନନୀ ଯନ୍ତ୍ରଣାର ବିକଳଚିତ୍ର ଗୁହାରି ଶୁଣିବ କିଏ?

ଜନନୀ ଯନ୍ତ୍ରଣାର ବିକଳଚିତ୍ର ଗୁହାରି ଶୁଣିବ କିଏ?

ନବରଙ୍ଗପୁର/୧୪/୯/୨୦୨୨/ (ଆଧାର ନ୍ୟୁଜ ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ଵରେ ବସବାସ କରୁଥିବା ଗାଁକୁ ନାହିଁ ଗମନାଗମନର କୌଣସି ବ୍ୟବସ୍ଥା।ଏପଟେ ଅକାତକାତ ଜଳଭଣ୍ଡାରର ଜଳରାଶି ମଧ୍ୟରେ ଚାଲିଛି ଅଞ୍ଚଳ ବାସୀଙ୍କ ଜୀବନଯାତ୍ରା। ଶିକ୍ଷା,ସ୍ୱାସ୍ଥ୍ୟସେବା, ଗମନାଗମନ ଏହି ଅଞ୍ଚଳପାଇଁ ସ୍ୱପ୍ନ ପାଲଟିଥିବା ବେଳେ ସାଧାରଣ ମୌଳିକ ସୁବିଧା ଏହି ଅଞ୍ଚଳ ପାଇଁ ଅପହଞ୍ଚ ହୋଇ ରହିଯାଇଛି।ଭଗବାନଙ୍କୁ ଭରସା ଏବଂ ଭାଗ୍ୟକୁ ଆଦରି ଅସହାୟ ଅବସ୍ଥାରେ ପଡିରହିବା ଛଡା ଆଉ କୌଣସି ଉପାୟ ନାହିଁ।ଗମନାଗମନର ଉତ୍ତମ ବ୍ୟବସ୍ଥା ନାହିଁ କି ଯୋଗା ଯୋଗ ପାଇଁ କୌଣସି ନେଟୱାର୍କ ନାହିଁ  ଏଥିପାଇଁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ। ଆଜି ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ।ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ୱାରା ଜଳବନ୍ଦୀ ଅଞ୍ଚଳଭାବେ ପରିଚିତ ପୋଡାପଦର ଗ୍ରାମ ପଞ୍ଚାୟତ ପାଇଁ ଏହିଭଳି ଘଟଣା ଦେହସୁହା ହେଇସାରିଲାଣି।ଆଜି ଏହି ଦୁର୍ଗମ ପଞ୍ଚାୟତର ଅପହଞ୍ଚ ଗାଁ ଉପରପୁଙ୍ଗାର ଜଣେ ଗର୍ଭବତୀ ମହିଳା ପାଇଁ ଘଟିଛି ଏଭଳି ଘଟଣା।ଗାଁକୁ ରାସ୍ତା ଖଣ୍ଡେ ନାହିଁ ବୋଲି ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଥିବା ବେଳେ ଗାଁକୁ ପହଞ୍ଚି ପାରୁନି ଜରୁରୀକାଳୀନ ଅମ୍ବୁଲାନ୍ସ ସେବା।ଗର୍ଭବତୀ ମହିଳା ଜଣକ ହେଲେ ଉପରପୁଙ୍ଗା ଗ୍ରାମର ଚକ୍ରଧର ହରିଜନଙ୍କ ସ୍ତ୍ରୀ ଅଞ୍ଜଳୀ ହରିଜନ(୩୮)। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କିପରି ଡାକ୍ତରଖାନାକୁ ନିଆଯିବ ଚିନ୍ତାରେ ପରିବାର।ଅମ୍ବୁଲାନ୍ସକୁ ଫୋନ୍ କରିବା ପାଇଁ ମୋବାଇଲ ନେଟ୍ଓ୍ବାର୍କ ମଧ୍ୟ ଏହି ଜଳବନ୍ଦୀ ଅଞ୍ଚଳକୁ ଅପହଞ୍ଚ।ଏପରି ସ୍ଥଳେ ଏହି ପଞ୍ଚାୟତର ସମିତି ସଭ୍ୟ ଅକ୍ଷୟ କୁମାର ହରିଜନ ମହିଳାଙ୍କ ଅବସ୍ଥା ଗୁରୁତର ଦେଖି ମୋବାଇଲ ନେଟ୍ଓ୍ବାର୍କ ପଏଣ୍ଟକୁ ଯାଇ ଇନ୍ଦ୍ରାବତୀ ସ୍ଥିତ ୧୦୮ ଜଳବୋଟ୍ ଅମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।ସେତିକି ସମୟ ମଧ୍ୟରେ ଏକ ଖଟିଆରେ ପରିବାର ଲୋକଙ୍କ ସହଯୋଗରେ ନିଜେ କାନ୍ଧରେ ବୋହି ଦୁର୍ଗମ ପାହାଡିଆ ଘଞ୍ଚ ରାସ୍ତାରେ ପ୍ରାୟ ୭ ରୁ ୮ କିଲୋମିଟର ଆଣି ତଳଟେମରା ଡଙ୍ଗା ଘାଟରେ ପହଞ୍ଚାଇଥିଲେ।ହେଲେ ଇତି ମଧ୍ୟରେ ଅଧବାଟରେ ମହିଳା ଜଣକଙ୍କ ପ୍ରସବ ହୋଇଥିଲା ଏକ ପୁତ୍ରସନ୍ତାନ। ମହିଳା ଜଣକ ଅଧିକ ଗୁରୁତର ହୋଇ ଚେତାଶୂନ୍ୟ ହୋଇପଡିଥିଲେ। ସେହି ସମୟରେ ୧୦୮ କର୍ମଚାରୀ ଯାଇ ପରିବାର ଲୋକଙ୍କୁ ସାହାସ ଦେବାସହ ସମିତି ସଭ୍ୟ ଓ ୧୦୮ କର୍ମୀ ମିଳିତ ଭାବେ ଖଟିଆରେ ବୋହି ବୋହି ୧୦୮ ଆମ୍ବୁଲାନ୍ସବୋଟ ନିକଟକୁ ପହଞ୍ଚେଇ ଥିଲେ । ତୁରନ୍ତ ସେଇ ଅମ୍ବୁଲାନ୍ସ ଯୋଗେ ଜଳଭଣ୍ଡାରର ପୋଡାଗଡ ଡ୍ୟାମ୍ ନିକଟକୁ ଆଣିଥିଲେ।ସେଠାରୁ ପୁଣି ଗୁରୁତର ପ୍ରସୂତୀ ମହିଳାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଟିସ୍ୱାସ୍ଥ କେନ୍ଦ୍ରକୁ ନେବାପାଇଁ ୧୦୨ ଅମ୍ବୁଲାନ୍ସ ଯୋଗେ ନିଆଯାଇଥିଲା ।ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ନ ହେବାରୁ ତେନ୍ତୁଳିଖୁଣ୍ଟି ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।ଏହି ଅଞ୍ଚଳକୁ ଗମନାଗମନ ଓ ମୋବାଇଲ ନେଟୱାର୍କ ସୁବ୍ୟବସ୍ଥା ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ ସୁଧୁରୁନି ଏବଂ ଏଠିକାର୍ ଅଞ୍ଚଳ ବାସୀ ଭୋଗୁଛନ୍ତି ସାଂଘାତିକ ସମସ୍ୟା।ତେବେ ଆଉ କେତେ ବର୍ଷ ବିତିଲେ ଏହି ଅଞ୍ଚଳକୁ ମିଳିବ ମୌଳିକ ସୁବିଧା? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସରକାର ଏହାର ସମାଧାନ ପାଇଁ କିଭଳିପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା।

Recent Comments

Leave Comments

Top