logo
add image
୨୦ ଗ୍ରାମରେ ହଇଜା ରୋଗୀ.ବେଲଗାମରେ ହଇଜା ମହାମାରୀ । ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ । 

୨୦ ଗ୍ରାମରେ ହଇଜା ରୋଗୀ.ବେଲଗାମରେ ହଇଜା ମହାମାରୀ । ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ । 

କାଶିପୁର/ରାୟଗଡା/୨୬/୦୭/୨୨/ (ଆଧାର ନ୍ୟୁଜ) କାଶୀପୁର ବ୍ଲକର ୨୮୦ ଗାଁକୁ ବଢିଲା ସର୍ଭେଲେନ୍ସ ,ବିଶୋଧନ ହେଲା ୨୪୧ ଗାଁ । ଗାଁ ଗାଁରେ ବ୍ୟାପକ ହେଲା ସଚେତନ କାର୍ଯ୍ୟକ୍ରମ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବାକାରଣରୁ ସ୍ଥିତି ଉଦବେଗ ଜନକ ରହିଥିବା ଅନୁମାନ କରାଯାଉଛି । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ୨୦ଗ୍ରାମକୁ କବଳିତ କରିଛି ହଇଜା । ଆଜି ସୁଦ୍ଧା ୨୮୧ ଜଣ ହଇଜାରେ ଅକ୍ରାନ୍ତ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି । ଦୂଷିତ ଜଳ ହଇଜା ବ୍ୟାପିବା ମୁଖ୍ୟ କାରଣ  ଜଣାପଡିବା ପରେ ପ୍ରସ୍ତୁତ ହୋଇଛି ଯୋଜନା । ଜଳ ଉଛ ବିଶୋଧନ ସାଙ୍ଗକୁ ଲୋକଙ୍କୁ ସଚେତନ ପ୍ରତି ଗୁରୁତ୍ଵ ଦେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ହଇଜା ପ୍ରଭାବିତ ଅଂଚଳରେ ଥିବା ଜଳ ଉତ୍ସଗୁଡିକୁ ବନ୍ଦକରି ଦିଆଯାଇ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ସହିତ ସାହିଗଳି ରାସ୍ତାରେ ବ୍ଳିଚଂ ପାଉଡର ସିଞ୍ଚନ କରାଯାଉଛି । ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଟିକିରି ଠାରେ ଲୋକଙ୍କୁ ଭ୍ରାମ୍ୟମାଣ ଆର.ଓ.ମେସିନ୍ ଦ୍ୱାରା ବିଶୋଧନ ହେଉଥିବା ବିଶୁଦ୍ଧ ପାନୀୟ ଜଳକୁ  ପ୍ୟାକେଟ୍ ଏବଂ କେଁ ମାଧ୍ୟମରେ ଗାଁଗଣ୍ଡାରେ ବିତରଣ କରାଯାଉଛି । ଗାଁରେ ଉତ୍କଳ ଆଲୁମିନା , ମୈତ୍ରୀ ଇମଫ୍ରା , ଆଦିତ୍ୟ ଲଜିଷ୍ଟିକ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ଟ୍ୟାଙ୍କର ସହାୟତାରେ ଗାଁ ଗାଁରେ ଲୋକଙ୍କୁ  ପାଣି ଯୋଗାଉଛନ୍ତି । ସେପଟେ ମହିଳା ସ୍ୱାସ୍ଥ୍ୟକର୍ମୀ,ଆଶାକର୍ମୀ,ଅଙ୍ଗନବାଡି ପ୍ରଭାବିତ ଅଞ୍ଚଳରେ ଘରକୁ ଘର ଯାଇ ହଲୋଜିନ୍ ବଟିକା  ପାଣିରେ ପକାଇବା ପିଇବା ସଚେତନ କରିବା ସହ ଗରମ ଖାଦ୍ୟ ଖାଇବା ଏବଂ ବାରମ୍ବାର ହାତ ଧୋଇବା ଉପରେ ସଚେତନ  କରୁଛନ୍ତି । ହଇଜା ପ୍ରଭାବିତ ଟିକିରି, ଡୁଡୁକାବାହାଲ, କାଶିପୁର, ପଂଚାଳି, ଶଙ୍କରଡା, ପୋଡାପାଡି, କାକୁଡିପଦର,ଗୋବିରିଘାଟି ସମେତ ଅନ୍ୟ ଗାଁ ଗୁଡିକରେ ପ୍ରଶାସନ ପକ୍ଷରୁ ଗାଁ ସାଥି ଗଠନ କରାଯାଇ  ଅନେକ ଗୁଡାଏ ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୬ଟି ଟିମ୍ ଗଠନ କରାଯାଇ ଗାଁ ଗଣ୍ଡାର ନଳକୂପ ଗୁଡିକୁ ବ୍ଳିଚିଂ ପକାଇ ବିଶୋଧନ କରାଯିବା ସହ ପାଣି ନମୁନା ସଂଗ୍ରହ କରାଯାଇ ପ୍ରତିଦିନ ଲ୍ୟାବକୁ ପଠାଯାଉଛି । ଏପରିକି ଟିକିରି, ନାକଟିଗୁଡା, କୁଚେଇପଦର ,ଖୁରିଗାଁ , ରେଗାଁ, ଶଙ୍କରଡା, ହାଡିଗୁଡା ସମେତ ନଦୀତଟ ଅଂଚଳରେ ଥିବା ଜଳ ଉତ୍ସ ଗୁଡିକର ଜଳ ନମୂନା ସଂଗ୍ରହ କରାଯାଉଛି । ବର୍ତମାନ କାଶିପୁର ବ୍ଳକର ସିଏଚସି କାଶିପୁର,ପିଏଚସି ଟିକିରି,ଅନ୍ତର୍ବିଭାଗ ଉତ୍କଳ ହସ୍ପିଟାଲ,ପିଏଚସି ଡଙ୍ଗାସିଲ,ପିଏଚସି ମାଣ୍ଡିବିସି ଓ ଉତ୍କଳ ହସ୍ପିଟାଲରେ ମୋଟ ୬୮ଜଣ ହଇଜା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୨୦ଜଣ ରୋଗୀ ଅବଜରଭେସନ୍‌ରେ ରହିଛନ୍ତି । ଆଜି ଗୋଟିଏ ଦିନରେ ୧୧ ଜଣ ରୋଗି ବିଭିନ୍ନ ଡାକ୍ତର ଖାନାରେ ଭର୍ତି ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିଛା ପରେ ଛଡା ଯାଇଥିବା ଜଣାପଡିଛି ।  ବିଭିନ୍ନ ମେଡିକାଲରେ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଯାହାକି ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । ଗତ ୨୦ ତାରିଖ ସ୍ୱାସ୍ଥ୍ୟବିଭାଗ ସୂଚନା ପ୍ରକାରେ ଚାରିଦିନ ମଧ୍ୟରେ ନିୟନ୍ତ୍ରଣକୁ ଆସିବ କଲେରା ବୋଲି କୁହାଯାଇଥିଲା  । କିନ୍ତୁ ଆଜିର ସ୍ଥିତି  ଯଥା ପୁରବମ ତଥା ପରମରେ ଅପରିବର୍ତ୍ତିତ ଅଛି । ପ୍ରତିଦିନ ୩୦ ରୁ ୪୦ ହଇଜା ଆକ୍ରାନ୍ତଙ୍କ ଚିହ୍ନଟ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ପାଲଟିଛି । ଯେତେବେଳ ପର୍ଯ୍ୟନ୍ତ ଲୋକେ ସଚେତନ ହୋଇ ନିଜ ବ୍ୟବହାରରେ ପରିବର୍ତନ ଆସିନାହିଁ ସେତେବେଳ ପର୍ଯ୍ୟନ୍ତ ହାଇଯାଉପରେ ନିୟନ୍ତ୍ରଣ ଆସିବା କାଠିକର ପାଠ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି । ତେବେ କାଶୀପୁର ବ୍ଲକରେ  ସମସ୍ତ ପ୍ରକାର ଆବଶ୍ୟକ ସାମଗ୍ରୀ ଓ ଔଷଧ ମହଜୁଦ ଥିବା ସେ ସୂଚନା ଦେଇଛନ୍ତି । ତେବେ ଜଳ ଉତ୍ସ ଗୁଡିକର ବିଶୋଧନ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପରିମଳ ସୁଦ୍ଧାର ପାଇଁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହେଉନଥିବା ବିଭିନ୍ନ ଗ୍ରାମର ଲୋକ କହିଛନ୍ତି । ଏଭଳିକି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀମାନେ ରାସ୍ତାକଡର ଗାଁ ଉପରେ ଅଧିକ ଦ୍ରୁଷ୍ଟି ଦେଉଥିବା ବେଳେ ଦୁର୍ଗମ ଗାଁ ମାନଙ୍କୁ ପହଞ୍ଚୁନଥିବା କପାଡାଙ୍ଗ ବାସୀ  ଅଭିଯୋଗ କରିଛନ୍ତି  । ଶଙ୍କରଡା ପଞ୍ଚାୟତର କପାଡାଙ୍ଗ ଗ୍ରାମରେ ଏକାଧିକ ଆକ୍ରାନ୍ତ ରହିଛନ୍ତି । ଏଠି ମଧ୍ୟ ଜଳ ସମସ୍ୟା ଲାଗି ରହିଛି । ମାତ୍ର ଦୁଇଟି ନଳକୂପ ଏହି ଗ୍ରାମର ୩୫୦ ଲୋକଙ୍କ ଭରସା । ତେବେ ଏହା ଏକ ଦୁର୍ଗମ ଗାଁ ହୋଇଥିବା କାରଣରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନଳକୂପ ବିଶୋଧନ ପାଇଁ ମାତ୍ରଗୋଟିଏ ଥର ଦୁଇ ଜଣ ବ୍ୟକ୍ତି ଆସି କିଛି ବ୍ଲିଚିଂ ପକାଇ ଚାଲି ଯାଇଥିଲେ । ହେଲେ ସ୍ୱଛ ଜଳ ପ୍ରଦାନ ପାଇଁ କାହାକୁ କହିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗାଁ ଲୋକେ କ୍ଷୋଭର ସହ କହିଛନ୍ତି । କିଭଳି ଭାବରେ ସମସ୍ତ ଜଳ ଉତ୍ସ ବିଶୋଧିତ କରାଯାଉଛି ତାହା ପ୍ରତିଦିନ ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ କୁହାଯାଇଥିଲା । ଏଭଳିକି ଆରଏମଆରସି ଟିମ୍‌ ମୁଖ୍ୟ ଡାକ୍ତର ବିଭୁତିଭୂଷଣ ପାଳ ଏବଂ ଆରଡିସି ଟି. ଆପାଙ୍ଗ ଆଓ ମଧ୍ୟ ସମାନ କଥା ବିଭାଗୀୟ ଯନ୍ତ୍ରୀମାନଙ୍କୁ କହିଥିଲେ । ତେବେ ସେହି ନିର୍ଦ୍ଦେଶକୁ ସଠିକ ଭାବେ ପାଳନ ହେଉନଥିବା ଜଣାପଡିଛି । ଦୁଷିତ ପାଣି କାରଣରୁ ଏତେ ବଡ ଘଟଣା ଘଟିବା  ପରେ ମଧ୍ୟ ଗ୍ରାମ୍ୟ ଜଳଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ । ଆଉ ଏହି କାରଣରୁ ହଇଜା ଥମୁନଥିବା ଚିକିତ୍ସକ ମାନେ ସନ୍ଦେହ କରୁଛନ୍ତି । ଆଜି ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ ଡେଙ୍ଗାଗୁଡା, ତୋଟାଗୁଡା, ଶଙ୍କରଡା, କପାଡାଙ୍ଗ, ମଲ୍ଲିଝରଣ, ଖୁରିଗାଁ, ପଞ୍ଚାଳି, ଟିକିରି, ମାଇକଞ୍ଚ, ଦୁଡୁକାବାହାଲ ଓ କାଶୀପୁର ଯାଇ ଜଳ ନମୁନା ସଂଗ୍ରହ କରିଛନ୍ତି । ତେବେ ଯେଉଁ ଭ୍ରିବିଓ କଲେରା, ଇ-କଲାଏ ଜୀବାଣୁ ଚିହ୍ନଟ ହୋଇଛି ତାହା ମାରାତ୍ମକ ବୋଲି ସ୍ୱାସ୍ଥ୍ୟ ବିଶେଷାଜ୍ଞ ପୁନର୍ବାର କହିଛନ୍ତି । ହଇଜା ବ୍ୟାପିବା ପରେ ସମସ୍ତ ଜଳ ଉତ୍ସରେ କଟକଣା ଜାରି ହୋଇଥିଲା ତାହାକୁ ବଳବତ୍ତର ରଖିଛି ପ୍ରଶାସନ । ଉପରମୁଣ୍ଡ ଠାରୁ ଆରମ୍ଭ କରି ତଳମୁଣ୍ଡ ପର୍ଯ୍ୟନ୍ତ ସବୁ ସ୍ଥାନରେ ବିଶୋଧନ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଥିବା ସୂଚନା ଦିଆଯାଇଛି । ଏଥି ସହିତ ବିଭିନ୍ନ ଏନଜିଓ ମାଧ୍ୟମରେ ସଚେତନତା କାର୍ଯ୍ୟ ଜାରି ରହିଛି । ଏଣେ ବିଭିନ୍ନ ମେଡିକାଲରେ ୫୭ ଜଣ ରୋଗୀ ଭର୍ତ୍ତି ହୋ ଇଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ଉଷାପଡା ଉତ୍କଳ ହସ୍ପିଟାଲରେ ୧୭, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧, ଟିକିରି ଉତ୍କଳ ମେଡିକାଲରେ ୯ ଜଣ ଭର୍ତ୍ତି ହୋଇଛନ୍ତି । ।ସେହିଭଳି ଭ୍ରାମ୍ୟ ମାଣ ସ୍ୱାସ୍ଥ୍ୟ ସେବା ଟିମ ଆଜିପ୍ରାୟ ୩୦ ଜଣଙ୍କ ଚିକିତ୍ସା କରିଛନ୍ତି । ଦୈନିକ ଶତାଧିକ ଲୋକ ଆକ୍ରାନ୍ତ ହେଉଥିବା ଯୋଗୁଁ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ଝାଡାବାନ୍ତି ନିୟନ୍ତ୍ରଣକୁ ଆସୁ ନଥିବା କାରଣରୁ ସମଗ୍ର କାଶୀପୁର ବ୍ଲକରେ ଏକପ୍ରକାର ଆତଙ୍କର ବାତାବରଣ  ଦେଖାଦେଇଛି । ତେବେ ଲୋକେ ଅଧିକ ସଚେତନ ହେଲେ ନିଶ୍ଚିତ ଭାବରେ ନିୟନ୍ତ୍ରଣକୁ ଆାସିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ୮ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଟିମ ପ୍ରତ୍ୟେକ ପ୍ରଭାବିତ ଗାଁ ଯାଇ ଲୋକଙ୍କ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଟିମ ଓ ଅନ୍ୟାନ୍ୟ ଅଧିକାରୀ ଲୋକଙ୍କୁ ସଚେତନ କରିବା ସହ ଔଷଧ ସେବନ ସହିତ ହାଲୋଜେନ ଟାବଲେଟ ପାଣିରେ ମିଶାଇ ସେବନ କରିବାକୁ କହୁଥିବା ନଜରକୁ ଆସିଛି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶା କର୍ମୀମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ହେବ କାଶୀପୁର ବ୍ଲକରେ ବ୍ୟାପିଥିବା ଝାଡାବାନ୍ତି ପରବର୍ତ୍ତି ସମୟରେ ହଇଜାର ରୂପ ଧାରଣ କରିଥିଲା .    (ରିପୋର୍ଟ-ସହଦେଵ ସାହୁ)  
                                

Recent Comments

Leave Comments

Top