ବାଲିଗୁଡ଼ା/୧୪/୦୬/୨୨/(ଆଧାର ନ୍ୟୁଜ): ଆଜି ନଭେମ୍ବର ୧୪,ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ଓ ଶିକ୍ଷାନିକେତନ ମିଳିତ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ସଚେତନତା ଶୋଭାଯାତ୍ରା ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳୁ ଶିକ୍ଷାନିକେତନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କ ସମେତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ସେଠାରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସୌମ୍ୟଦର୍ଶୀ ନାୟକ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରୁ ବାହାରି ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟ ନିକଟରେ ଥିବା ଶିକ୍ଷାନିକେତନ ଶିକ୍ଷାନୁଷ୍ଠାନରେ ପହଁଚିଥିଲା । ସେଠାରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ସେଠାରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ । ସର୍ବ ପ୍ରଥମେ ବାଲିଗୁଡ଼ାରେ ଯୁବ ସମାଜସେବୀ ଅମିତ୍ କୁମାର ନାୟକ ପ୍ରଥମେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଆମ ଅଞ୍ଚଳରେ ରକ୍ତାଭାବ ଦୁର କରିବା ଓ ରକ୍ତଦାନ କରିବାପାଇଁ ଅଞ୍ଚଳବାସୀଙ୍କୁ ଶୋଭାଯାତ୍ରା ଓ ସ୍ଲୋଗାନ ମାଧ୍ୟମରେ ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ଓ ଶିକ୍ଷାନିକେତନ ଦ୍ବାରା ଆମର ଏହି ପ୍ରୟାସ ବୋଲି କହିଛନ୍ତି ଡାକ୍ତର ସୌମ୍ୟଦର୍ଶୀ ନାୟକ । ଅନ୍ୟପଟେ ବର୍ତ୍ତମାନ ସମୟରେ ବିଭିନ୍ନ ଅଞ୍ଚଳରେ ଲୋକେ ବିଭିନ୍ନ ରୋଗରେ ପିଡିତ ଶେଇ ରୋଗୀ ରକ୍ତ ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆମ ଅଞ୍ଚଳରେ ସେଭଳି ପରିସ୍ଥିତି ଦେଖାନଯାଉ । ଆଜିର ଏହି ଅବସରରେ ସମସ୍ତ ଯୁବ ପିଢ଼ିକୁ ମୁଁ ଆହ୍ବାନ କରୁଛି ସମସ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରନ୍ତୁ ଏବଂ ଆମ ଅଞ୍ଚଳକୁ ସୁସ୍ଥ ରଖିବା ସହ ଅଞ୍ଚଳରୁ ରକ୍ତାଭାବ ଦୂର କରିବା ପାଇଁ ନିଜ ବକ୍ତବ୍ୟରେ କହିଛନ୍ତି ତହସିଲଦାର ଶଶାଙ୍କ ପାତ୍ର । ସେପଟେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷାନିକେତନର ଏହି ପ୍ରଚେଷ୍ଟା ଜାରି ରହିଛି । ସେତୁ ବନ୍ଧନରେ ଗୁଣ୍ଡୁଚି ମୂଷାର ସହଭାଗିତା ଭଳି ଅଞ୍ଚଳରୁ ରକ୍ତାଭାବ ଦୂର କରିବା ପାଇଁ ଶିକ୍ଷାନିକେତନର ଏହି ଛୋଟିଆ ପ୍ରଚେଷ୍ଟା ବୋଲି କହିଛନ୍ତି ଶିକ୍ଷାନିକେତନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ଶିକ୍ଷା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସବୁବେଳେ ନିଜକୁ ସମର୍ପଣ କରୁଥିବା ବେଳେ ଶ୍ରୀ ପାଢ଼ୀଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।
Recent Comments