ରେଢାଖୋଲ/୨୫/୧୨/୨୦୨୫/(ଆଧାର ମିଡ଼ିଆ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଶାସନ ଦିବସ’ ଅବସରରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦଘାଟନ ସହ ପ୍ରାୟ ୨୪୫ କୋଟି ୫୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୦ ଟି ଜନହିତକର ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରିବା ସହ ଓଡ଼ିଶା ଏବଂ ଦେଶ ପ୍ରତି ତାଙ୍କର ଅବଦାନକୁ ମନେ ପକାଇଥିଲେ । ସେ କହିଥିଲେ ଅଟଳଜୀ ଓଡ଼ିଶାର ବିକାଶପାଇଁ ସର୍ବଦା ପ୍ରତିବଦ୍ଧଥିଲେ ଏବଂ ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନନିର୍ମାଣ ପାଇଁ ଅର୍ଥର ଅଭାବ ରହିବନାହିଁ ବୋଲି କହିଥିଲେ ।
ସମ୍ବଲପୁର-ତାଳଚେର ରେଳ ଲାଇନ୍ ତାଙ୍କର ଦୂରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଥିବା କହିଥିଲେ । ଏହି ଅବସରରେ ରେଢ଼ାଖୋଲ ବାସୀଙ୍କୁ ବାଇପାସ୍ ହେବ ବୋଲି ଜଣାଇବା ସହ ସହରଦେଇ ଯାଇଥିବା ଜାତୀୟ ରାଜପଥ ଉନ୍ନତିକରଣ କରାଯିବ ବୋଲି କହିଥିଲେ। ତା ସହିତ ଆଜିଭଳି ପବିତ୍ର ଦିବସରେ ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ରେଢ଼ାଖୋଲରେ ଶିକ୍ଷାର ମାନକୁ ବଢ଼ାଇବା ସହ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ । ସ୍ଥାନୀୟ ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଥିଲେ ରେଢ଼ାଖୋଲ ହେଉଛି ପବିତ୍ରମାଟି । ଏହି ଅଞ୍ଚଳ କଥା ଆସିଲେ ଅନ୍ଧକାର ମଧ୍ୟରେ ଆଲୋକର ବର୍ତ୍ତିକା ଦେଖାଇଥିବା ମହିମା ଧର୍ମର ପ୍ରଚାରକ ସନ୍ଥକବି ଭୀମଭୋଇଙ୍କ କଥା ଆସେ । ଏହି ମାଟିହେଉଛି ତାଙ୍କର ସାଧନାପୀଠ । ସେ ତାଙ୍କର କାଳଜୟୀ ବାଣୀରେ କହିଥିଲେ: "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାରହେଉ ।ଏହି ପଂକ୍ତି କେବଳ ଏକ କବିତା ନୁହେଁ, ବରଂ ଆଜିର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଏକ ପ୍ରେରଣା ଓ ଆଦର୍ଶ ଅଟେ । ସେ ଆହୁରି କହିଥିଲେ ଯେ ରେଢାଖୋଲ ହେଉଛି ଐତିହାସିକ ସ୍ଥାନ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ଭୀମମଣ୍ଡଳୀର ଐତିହାସିକ ଗୁରୁତ୍ୱକୁ ସାମ୍ନାକୁ ଆଣିଛି । 'କାର୍ବନ ଡେଟିଂ' ପ୍ରକ୍ରିୟା ମାଧ୍ୟମରେ ଜଣାପଡ଼ିଛି ଯେ ଭୀମ ମଣ୍ଡଳୀର ବୟସ ପ୍ରାୟ ହଜାର ହଜାର ବର୍ଷ ପୂର୍ବର । ଏହି ପରିପ୍ରେକ୍ଷୀରେ ଏହି ଅଞ୍ଚଳ ଗୁରୁତ୍ୱ ଦୃଷ୍ଟିରୁ ଏହାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ରେଢ଼ାଖୋଲରେ ଏକ ନୂତନ ‘ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ’ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି, ଯାହା ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ ।
ସେହିପରି ନାକଟିଦେଉଳ ବ୍ଲକକୁ ‘ଆକାଂକ୍ଷୀ ବ୍ଲକ’ ଭାବେ ଗ୍ରହଣକରି ଏହି ଅଞ୍ଚଳର ଉନ୍ନତିପାଇଁ ସରକାର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ‘ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ’ ଯୋଜନାରେ ମଧ୍ୟ ରେଢାଖୋଲ ଲାଭାର୍ଥୀ ହୋଇଛି । ସରକାର ଚାଷୀମାନଙ୍କୁ ଆର୍ଥିକ ସମୃଦ୍ଧି ଦେବା ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ଆଜି ପ୍ରାୟ ୫୦୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହ ଯୋଡ଼ାଯାଇ ସେମାନଙ୍କୁ ସରକାରୀ ସୁବିଧା ହସ୍ତାନ୍ତର କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜଳସେଚନ ପରି ପ୍ରତ୍ୟେକ ମୌଳିକ କ୍ଷେତ୍ରରେ ରେଢ଼ାଖୋଲର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ଏକାଠି ହୋଇ ମିଳିମିଶି କାର୍ଯ୍ୟ କରିବାପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ସରକାର ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ରହି ଆଗାମୀ ବର୍ଷରେ ସମ୍ବଲପୁର ଜିଲ୍ଲା ଏକ ନମ୍ବର ଜିଲ୍ଲାହେବ, ଏବଂ ରେଢ଼ାଖୋଲ ପଞ୍ଚାୟତ ଗୁଡ଼ିକ ଅତ୍ୟାଧୁନିକ ଗ୍ରାମ୍ୟ ଗଠନ ହେବବୋଲି ଅଭିଭାଷଣ ଦେଇଥିଲେ।
ଏହି ଦିବସରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ରେଢ଼ାଖୋଲ ବିକାଶଧାରାରେ ଦଳଗତ ନିର୍ବିଶେଷରେ ଆମେ ଏକତ୍ରିତ ହୋଇ କାର୍ଯ୍ୟକରିବୁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦର,ସମ୍ବଲପୁର ଏସପି ମୁକେଶ ଭାମୁ, ବ୍ଲକଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ତତ୍ତ୍ଵାବଧାନରେ ଥିବା ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments